Unknown

 

 

 

 

 

 

 

 

 

ଗୋ ଚିକିତ୍ସା

(ପ୍ରଥମ ଭାଗ)

ଶ୍ରୀ ନୀଳମଣି ମିଶ୍ରଶର୍ମ୍ମା

 

ଅଗ୍ନିମାନ୍ଦ୍ୟ

 

୧.

ଗୋରୁର କ୍ଷୁଧା ବୃଦ୍ଧି ନିମନ୍ତେ ତାର ଶିଙ୍ଗରେ ତେଲ ଲଗାଇ ଖରାରେ ଠିଆ କରିଦେବ ।

୨.

ଅଧପାଏ ମଦ, ଏକଛଟାଙ୍କ ଶୁଣ୍ଠି ଗୁଣ୍ଡ, ଏକତୋଳା ୨୦ ରତି ଗୋଲମରିଚ ଗୁଣ୍ଡ ଗରମପାଣି ସଙ୍ଗେ ପିଆଇବ (ବାଛୁରୀମାନଙ୍କୁ ଅର୍ଦ୍ଧେକ ପରିମାଣରେ ପିଆଇବ) ।

୩.

ଶୁଣ୍ଠି, ଚିରେଇତା, ଗୋଲମରିଚ, ଜୁଆଣୀ ଏ ସବୁରୁ ୬୦ ତୋଳା ଲେଖାଏଁ ଆଣି ଚୂର୍ଣ୍ଣକରିବ, ତହିଁରେ ଏକଛଟାଙ୍କ ଲୁଣ ମିଶାଇବ । ସେହି ଗୁଣ୍ଡରୁ ଅଳ୍ପ ପରିମାଣରେ ପ୍ରତିଦିନ ଗୁଡ଼ମିଶା ଯାଉସଙ୍ଗେ ଖୁଆଇବ ।

୪.

ପିପଳାମୂଳ, କଞ୍ଚାଦୁଧ, ଗୋଲମରିଚ, ଅଦା ଏକତ୍ରରେ ବାଟି ପିଆଇବ । (ଏହି ଔଷଧରେ ବେଙ୍ଗା ରୋଗ ମଧ୍ୟ ଭଲହୁଏ)

☆☆☆

 

ଆଖିଫୁଲା

 

୧.

କାଚ ଓ ରସସିନ୍ଦୁର, ଗୋଲମରିଚ ଚୂର୍ଣ୍ଣକରି ଆଖିରେ ପୂରାଇ ଧୀରେ ଧୀରେ ମନ୍ଥିବ ।

୨.

ପାଚିଥିବା ଅଙ୍କରାନ୍ତିଫଳର ରସ ଆଖିରେ ପକାଇବ ।

୩.

କାନିଶିରି ଗଛର ଚେର, ଗୋଲମରିଚ, ବନ ହଳଦୀ, କାଚ ଏକତ୍ର ବାଟି ଆଖିରେ ପୂରାଇ ଧୀରେ ଧୀରେ ମନ୍ଥିବ ।

୪.

ପତ୍ରଶିଝୁ ଆଣି କାନମୂଳରେ ଗୋବଦେବ ।

୫.

କାଚ, ଫକାସିନ୍ଦୂର ତେଲୁଣି ପୋକର ଖୋଳା ଏକତ୍ର ଗୁଣ୍ଡକରି ସବୁ କନାରେ ଛାଣି ଆଖିରେ ପକାଇବ ।

୬.

ଗାଈଦୁଧ, କୁକୁଡ଼ାମଳ ଏକତ୍ର କରି ଆଖିରେ ପକାଇବ ।

୭.

ଇନ୍ତୁଚାଡ଼ିପତ୍ର ଓ ଲୁଣଦଳି ପକାଇବ ।

୮.

ଧାନୁଆ ଲଙ୍କାମରିଚର ପତ୍ର ଓ ଲୁଣ ଦଳି ପକାଇବ ।

୯.

ଅପରାଜିତା ପତ୍ର, ଗୋଡ଼ାଲୁଣ ମର୍ଦ୍ଦୀ ପକାଇବ ।

୧୦.

ଶ୍ୱେତ କାଇଞ୍ଚମୂଳ, ବେଣାମୂଳ, ବାଗୁଲି ସଙ୍ଗେ ଦଉଡ଼ିବଳି ଗୋରୁର ବେକରେ ବାନ୍ଧିଦେବ ।

☆☆☆

 

ଉକୁଣୀ ମାରିବାର ଉପାୟ

 

୧.

ଉକୁଣୀମାରି ଗଛର ଛାଲିକୁ ବାଟି ଉକୁଣୀ ହୋଇଥିବା ସ୍ଥାନରେ ବୋଳିବ ।

୨.

ଧୂଆଁପତ୍ରକୁ ପାଣିରେ ଉତ୍ତମ ରୂପେ ଚକଟି ସେହି ପାଣିକୁ ଉପର ବେଳା ଗୋରୁ ଦେହରେ ବୋଳିଦେଇ ତହିଁ ଆରଦିନ ତାକୁ ଗାଧୋଇ ଦେବ ।

୩.

ଲଣ୍ଡାବାଗୁଲି ଗଛ ପତ୍ର ଓ ମଞ୍ଜି ସହିତ ବାଟି ବୋଳିଦେବ ।

୪.

ରଙ୍ଗ ମାଟି ଓ ଗରମ ପେଜ ଏକତ୍ରରେ ବାଟି ବୋଳିଦେବ ।

☆☆☆

 

କାନ ପଚା

 

୧.

ଉସୁନା କୁଣ୍ଡା କାନରେ ଚୁଣ୍ଟିଦେଲେ ଭଲ ହୁଏ ।

୨.

ଭଜା ଶୋରିଷଗୁଣ୍ଡ ଭର୍ତ୍ତିକରିଦେବ ।

୩.

ପୁରୁଣା ମଣ୍ଡିଆର ଚୂନା କାନରେ ଚୁଣ୍ଟିଦେବ ।

☆☆☆

 

କାନ୍ଧ ପୀଡ଼ା

 

୧.

ନୀଳ ଗଛର ପତ୍ର ବାଟି କାନ୍ଧରେ ଲେପିବ ।

୨.

ଉଆ ଚାଉଳ ଅଳନ୍ଧୁ, ଲୁଣ, ଦୁବ, ଗୁଡ଼ ଏକତ୍ର ବାଟି ଲେପିବ ।

୩.

ଗୁଡ଼ ଉସୁନାକୁଣ୍ଡା ଏକତ୍ରକରି ଲେପିବ ।

୪.

ଟାକୁଆଲହ (ମଲାଙ୍ଗ) ଖଣ୍ଡେ ବେକରେ ବାନ୍ଧିଦେବ ।

୫.

ରଙ୍ଗମାଟି, ଲୁଣ, କୁଆପଥର ପାଣି କେଶଦୁଦୁରା ପତ୍ର, ଜଡ଼ାତେଲ, ବରପତ୍ର ଭସ୍ମ ବାଟି ବୋଳିବ ।

୬.

ମୂଳିକା (ଶୁଣ୍ଢି ଠାରେ ମିଳିବ) ବାଟି ଲେପିବ ।

୭.

ମୂଷାମାଟି, କୁଆପଥର ବା ବରଫ ଏକତ୍ରକରି ବୋଳିଦେବ ।

୮.

ମଞ୍ଜାରୀଡାଳ ପୋଡ଼ି ସେହି କଳା ବୋଳିବ ।

୯.

ଗେରୁ ମାଟି ଲେପିବ ।

☆☆☆

 

କୃମୀ ନାଶକ

 

୧.

ହେଙ୍ଗୁ ୧ ତୋଳା ୨୦ ରତି ଏକଛଟାଙ୍କ ଗନ୍ଧକ ଚୂର୍ଣ୍ଣ ସହିତ ମିଶାଇ ୫।୭ ଦିନ ଯାଏ ଅଧସେର ଗରମ ଜଳ ସଙ୍ଗେ ଖୁଆଇବ

୨.

ଲୁଣ ଏକ ଛଟାଙ୍କ, ହିଚାକସ ୧ ତୋଳା ୨୦ ରତି, ଗନ୍ଧକ ଚୂର୍ଣ୍ଣ ୨.୫ ତୋଳା ଏକତ୍ରକରି ୩।୪ ଦିନ ଯାଏ (ଦିନରେ ୨-୧ ଥର ଲେଖାଏଁ) ଖୁଆଇବ ।

୩.

ପେଟରେ କେଞ୍ଚୁଆ ଥିଲେ ଅଧସେର ଚଣା ଡାଲି ରାତିରେ ପାଣିରେ ପକାଇଦେବ, ସକାଳୁ ସେହିପାଣି ଓ ଡାଲି ଗୋରୁକୁ ଖୁଆଇବ ।

୪.

ଲୁଣ ଓ ବଟା ହଳଦୀ ଖୁଆଇବ ।

୫.

ପୋଡ଼ାଚାଉଳ ଓ ପାଳଧୁଆ ଗଛର ଛାଲିକୁ ବାଟି ପିଆଇବ ।

☆☆☆

 

ଗାହାଣ ରୋଗ

 

୧.

ଏ ରୋଗ ହେଲେ ଗୋରୁର ଆଗଚଟୁଆରେ ବଥପରି ବାହାରେ ଏପରି ହେଲେ ହୁଙ୍କାଟାଙ୍କୁ ଓ ମାଟି, ଗୁଡ଼, ଖଡ଼ିଶିଝୁ, ସଜନାଛାଲି, ରୋଗୀ ଗୋରୁର ମଳ, ଧଳାଚିତା ଏକତ୍ର କରି ଶିଝାଇ ବେଦନାଉପରେ ଲେପିବ ।

୨.

ପଦ୍ମଆକୃତିରେ ଘିଅ ଲଗାଇ ବେଦନାର ଚାରିପାଖେ ଲାଛିଦେବ ।

☆☆☆

 

ଗୋଡ଼ଭଙ୍ଗା

 

୧.

ଗୋଡ଼କୁ ସଳଖକରି ବାନ୍ଧିବ ଏବଂ ଖଡ଼ାମୂଳ, ଫିରିକମଳ (ପଇଡ଼ପାଣିଦେଇ ସେଠାରେ ନମସ୍କାର କରି) ଆଣି ଏକତ୍ରକରି ଅଢ଼େଇଓଳି ଗୋରୁର ଭଙ୍ଗାସ୍ଥାନରେ ବାନ୍ଧିବ ।

☆☆☆

 

ଘୋଡ଼ାରୋଗ

 

୧.

ଏ ରୋଗରେ ଗୋରୁ ଖାଏ ନାହିଁ, ତାର ମଳ ମୂତ୍ର ବନ୍ଦହୁଏ, ଛିଡ଼ା ହୁଏ ନାହିଁ । ସ୍କାଲଗୁଣିକାଠ ନୂଆଖପରାରେ ରଖି ଧୂଆଁ ଦେଲେ ଭଲହୁଏ ।

☆☆☆

 

ଛେରା

 

୧.

କନକଚମ୍ପା ପତ୍ର ଖୁଆଇବ ।

୨.

ସର୍ଗିଫଳ, ଭାଲିଆ, ଲୁଣ, ଅଳନ୍ଧୁ, ସମ ପରିମାଣରେ ଏକତ୍ରରେ ବାଟି ଖୁଆଇବ ।

୩.

ବାଉଁଶପତ୍ର ଓ ସର୍ଗି ବାଟି ଖୁଆଇବ ।

୪.

ଫାଶିଗଛର ପତ୍ରକୁ ଦହିସଙ୍ଗେ ବାଟି ଦହିରେ ଗୋଳି ପିଆଇବ ।

୫.

ପିତା କୋରୁହାଁ ଛାଲି ଦହିରେ ବାଟି ଗୋଳି ପିଆଇବ ।

୬.

ମଜୁରଚୂଳିଆ ମୂଳ ବଉଳ କୋଳିରସ, କେନ୍ଦୁଅଗି ବାଟି ଦହିରେ ଗୋଳି ପିଆଇବ ।

୭.

ପବୈରୀ, ଶୋରିଷ, ଲୁଣ ଖରଡ଼ି (ଭାଜି) ଗୋରୁକୁ ଖୁଆଇବ ।

☆☆☆

 

ଜ୍ୱର

 

୧.

କର୍ପୂର ୬୦ ରତି, ସୋରା ୧ ତୋଳା, ମଦ ୨.୫ ତୋଳା ଆଣିବ । ମଦରେ ପ୍ରଥମେ କର୍ପୂର ମିଶାଇ ପରେ ସୋରାକୁ ମିଶାଇବ ତତ୍ପରେ ସେରେ ଥଣ୍ଡାପାଣି ସଙ୍ଗେ ପିଆଇବ-

୨.

ସୋରା ୧ ତୋଳା ୨୦ ରତି, ଲୁଣ ୨ ତୋଳା, ଚିରେଇତା ଗୁଣ୍ଡ ୨ ତୋଳା ଗୁଡ଼ ଦେଢ଼ ଛଟାଙ୍କ ଏକତ୍ରକରି ଖୁଆଇବ ।

୩.

କର୍ପୂର ୬୦ ରତି ସୋରା ୬୦ ରତି, ଦୁଦୁରାମଞ୍ଜିର ଗୁଣ୍ଡ ୩୦ ରତି, ମଦ ୧ ଛଟାଙ୍କ ଆଣିବ ।

୪.

ମଦରେ ଯଥାକ୍ରମେ କର୍ପୂର, ସୋରା ଦୁଦୁରାମଞ୍ଜିର ଗୁଣ୍ଡ ମିଶାଇ ଅଧସେର ପାଣିଆଯାଉ ସହିତ ଖୁଆଇବ ।

☆☆☆

 

ଟିଙ୍କ ହେଲେ

 

୧.

ଚୂନାମାଛକୁ ପାଣିରେ ପକାଇବ, ମାଛ ପଚିଗଲାରୁ ସେହିପଚା ପାଣି ଗୋରୁଦେହରେ ବୋଳିବ ।

୨.

ଅରକଳା ଚେର ପାଣିରେ ପଚାଇ ସେହି ପଚାପାଣି ବୋଳିବ ।

୩.

ଗୁଡ଼, ଲୁଣଗୋଳି ଗୋରୁ ଦେହରେ ବୋଳିବ ।

୪.

ଧୋବା ତୁଠରୁ ଖଣ୍ଡେ କନାଆଣି ତହିଁରେ ଅରଖ କ୍ଷୀର ସାତଥର ଦେଇ ଖରାରେ ଶୁଖାଇବ, ପରେ ସେହି କନାକୁ ବଳିତା କରି ଗୁଆଘିଅରେ ବୁଡ଼ାଇ ରବିବାର ଦିନ ଗୋଠରେ ବୁଲାଇବ ।

☆☆☆

 

ଢଣା ରୋଗ

 

୧.

ଏ ରୋଗରେ ଗୋରୁ ଦୁର୍ବଳ ହୁଏ, ପାଣି ପିଇବାବେଳେ ସୁ ସୁ ଶବ୍ଦକରେ, ତାଳୁରେ ମୁଗ ଗଳିବା ଭଳି ଦୁଇଟି ଛିଦ୍ରହୁଏ । ଖଣ୍ଡେ ନିମ୍ବ କାଠିରେ ଅଳତା ଗୁଡ଼ାଇ ତାଳୁର ସେହିକଣାରେ ଭର୍ତ୍ତିକରି ଦେବ, ସେହିକାଠି ଯେପରି କଣା ଭିତରେ ବୁଡ଼ି ରହିବ, ସେହି ଫୋଡ଼ ମୁହଁରେ ହେଙ୍ଗୁଦେଇ ବା ତତାଇ ଦାଗିବ ଏବଂ ଲାଞ୍ଜର ଅଗ୍ରଭାଗ ଓ ଦୁଇଠେଙ୍ଗିରେ ଦାଗିବ ।

☆☆☆

 

ଥନହରା

 

୧.

କେଶୀମୂଳ, ପୁଆଣିଆ ହେଠମୂଳ, ହେଠାଉରି ଗାଈ ମୂତରେ ବାଟି ସ୍ତନରେ ଲେପିବ ।

☆☆☆

 

ଥଣ୍ଡା

 

୧.

ମହଣଫଳ, ଧାନୁଆଲଙ୍କାମରିଚ ବାଟିଗୋଳି ପିଆଇବ ।

୨.

ସହରାଜମଞ୍ଜି, ଭଜାଧାନ (ଖଇ ସହିତ) ଅଳନ୍ଧୁ ଗୋରୁ ମୂତରେ ବାଟି ଲେପିବ ।

୩.

କନକ ଚମ୍ପା ପତ୍ର ଘାସ ସଙ୍ଗରେ ଖୁଆଇବ ।

☆☆☆

 

ଦାନ୍ତ ସରସା

 

୧.

ଅରଖକ୍ଷୀର ତାଳୁରେ ଦେବ ।

୨.

ଘିଅରେ ଭାଲିଆ ସିଝାଇ ସେହି ଗରମ ଘିଅରେ ବଳିତା ବୁଡ଼ାଇ ଦାନ୍ତମୂଳେ ଧୀରେ ଧୀରେ ଲଗାଇବ ।

୩.

ଖଡ଼ିସିଝୁ ରସ, ଲଗାଇବ ।

☆☆☆

 

ଦୁର୍ବଳତା

 

୧.

ପାଣିକଖାରୁ ଏକଗୋଟା କାଟି ତହିଁରେ ବ୍ରୀହି ଚାଉଳ ସେରେ ଲେଖାଏଁ ମିଶାଇ ଗୋଟାଏ ନୂଆହାଣ୍ଡିରେ ରଖିବ, ତହିଁରେ ଡଙ୍କାରିପତ୍ର, ଗୁଡ଼, ଲୁଣ, ଭୂଇଁକଖାରୁ, ଛତୁଆରିମୂଳ, ଚୁଡା ପାଣି ଦହି ପକାଇ ଭଲରୂପେ ହାଣ୍ଡିର ମୁଖ ବନ୍ଦକରି ଏକମାସ ଯାଏ ରଖିବ । ତତ୍ପରେ ଗୋରୁକୁ ମାଡ଼ିବସି ୮ ଦିନ ଯାଏ ପ୍ରତିଦିନ ସେରେ ଲେଖାଏଁ ଖୁଆଇବ ।

☆☆☆

 

ପୀତାଧିକ୍ୟ

 

୧.

ଗୋରୁ ଆହାର ପରିତ୍ୟାଗକରି ଦୀର୍ଘ ସ୍ୱରରେ ବାରମ୍ବାର ରାବକରେ କୌଣସି ଠାରେ ସ୍ଥିରହୋଇ ରହେ ନାହିଁ । ଏପରି ହେଲେ ଟଭାପତ୍ରର ରସ, ନାହାଲ ବେଲିପତ୍ର ରସ, ଏକତ୍ର ପାକ କରି ତାଳୁରେ ମାଲିସ କରିବ ।

☆☆☆

 

ପେଟଫୁଲା

 

୧.

ଛଚିନା ଛାଲି, କଞ୍ଚାହଳଦୀ, ସହରାଜମଞ୍ଜି, ଅଳନ୍ଧୁ, ଲୁଣ ବାଟି ପିଆଇବ ।

୨.

ଦେଶୀମଦ ଦୁଇଛଟାଙ୍କ, ଶୁଣ୍ଠୀ ଚୂର୍ଣ୍ଣ ଏକ ଛଟାଙ୍କ, ଗୋଲମରିଚ ଚୂର୍ଣ୍ଣ ୧ ତୋଳା ୨୦ ରତି ଅଧସେର ଗରମ ଜଳ ସହିତ ଖୁଆଇବ ।

୩.

ପୁନାଙ୍ଗପତ୍ର ଦହିରେ ବାଟି ପିଆଇବ ।

୪.

ଧନ୍ୟାତ୍ରିପତ୍ର, ମରିଚ ଦହିରେ ବାଟି ପିଆଇବ ।

☆☆☆

 

ପୋକମରା

 

୧.

କେରୋସିନ ତେଲ ଢାଳିଦେବ ।

୨.

କୃଷ୍ଣପର୍ଣ୍ଣୀ ଚେର (ଶନିବାର ଦିନ) ଆଣି ଖୁଆଇଦେବ ।

୩.

ଚୂନ ଓ ଧୂସରପତ୍ର ଦଳି ପୋକ ହୋଇଥିବା ସ୍ଥାନରେ ଦେବ ।

୪.

କର୍ପୂର, ନଡ଼ିଆତେଲ ଏକତ୍ର କରିଦେବ ।

୫.

ତାର୍ପିନ ତେଲ ଦେଲେ ମାଛିବସିବେ ନାହିଁ । ଏବଂ ପୋକ ମରିବେ ।

୬.

ବଢ଼ିଆଳ ଅଗି ଛେଚି ଘାରେ ଦେବ ।

୭.

କୋରେହୀଛାଲି ଛେଚିକରି ଦେବ ।

୮.

ଜଟଜଟିଆ, ବଢ଼ିଆଳ ଅଗି ଛେଚି ପତ୍ରଶିଝୁ କ୍ଷୀରରେ ଗୋଳି ଲଗାଇବ ।

୯.

ଅପାମାର୍ଗ ଗଛର ମୂଳ ହୁକାଜଳରେ ବାଟି ଘା’ରେଦେବ ।

୧୦.

ଝିଟିପିଟିର ଲାଞ୍ଜ କଦଳୀ ପତ୍ର ସଙ୍ଗେ ଖୁଆଇଲେ ଘା ଶୁଖିବ । ପୋକ ମରିବେ ।

୧୧.

ଗେଙ୍ଗୁଟି ଚୂନ, ଗୁଡ଼ ଏକତ୍ର କରି ଭିତରେ ପୂରାଇ ବାନ୍ଧି ଦେଲେ ପୋକମରି ଘା’ ଶୁଖିବ ।

୧୨.

ଶିଝୁକ୍ଷୀର ଓ ଅରଖ କ୍ଷୀର ଦେବ ।

୧୩.

ପାତାଳଗରୁଡ଼ ଚେର ବାଟି ଦେବ ।

☆☆☆

 

ବାତ

 

୧.

ପେଟ ଫୁଲେ ଓ ଗର୍ଜ୍ଜନ କରେ, ମଳମୂତ୍ର ବନ୍ଦ ହୁଏ, ରୋମ ଟାଙ୍କୁରେ, ଆହାର ବନ୍ଦହୁଏ, ଏପରି ହେଲେ ଛଚିନାଛାଲି ଓ ବ୍ରୀହି ଏକତ୍ର ଶିଝାଇ କଞ୍ଚାହଳଦୀ ଛେଚିକରି ପକାଇ ଏକତ୍ରକରି ଖୁଆଇବ ।

୨.

ଗେଣ୍ଡାଳିଆମୂଳ, ସାଲୋଇମଲାଙ୍ଗ, କଞ୍ଚାହଳଦୀ, ବ୍ରୀହି, ଶାକର, ପାଣିକଖାରୁ, ଭୂଇଁକଖାରୁ ସମଭାଗରେ ଆଣି କଦଳୀମଞ୍ଜା ରସରେ ବାଟି ଲୁଣ ମିଶାଇ ଖୁଆଇବ ।

୩.

ଧନ୍ୟାତ୍ରି ପତ୍ର, ଏକୋଇଶି ଗଣ୍ଡା ଗୋଲମରିଚ ଗୁଆଦହିରେ ଗୋଳି ପିଆଇବ ।

୪.

କଞ୍ଚାହଳଦୀ ଦହି ଗୋଳି ପିଆଇବ ।

୫.

ହଳଦୀ ଫୁଲ, କୋଷାପୋକ, ଦହି ଏକତ୍ରକରି ଖୁଆଇବ ।

୬.

କଇଁଶିକାକୁଡ଼ା ମୂଳ, ହରିଶଙ୍କର ମୂଳ, ମଜୂର ଚୂଳିଆ ମୂଳ, ପାନଐରୀ ମୂଳ ଗାଈଦହୀରେ ବାଟି ପିଆଇବ ।

☆☆☆

 

ଫୁଲପଡ଼ା

 

୧.

ସୋହାଗାର ଖାଇ ଯେତେ, ଗୋଲାପଫୁଲ ତେତେ ଏକତ୍ରକରି ଖୁଆଇ ଦେଲେ ପ୍ରସବ ଶେଷରେ ଗାଈର ଫୁଲ ପଡ଼ୁନଥିଲେ ଶୀଘ୍ର ଫୁଲପଡ଼ିବ ।

☆☆☆

 

ବାଘୁଆ

 

୧.

କାନ୍ଧଠାରୁ ମୁହଁଯାଏ ଫୁଲିଯାଏ, ଆହାର କରିବା, ଯିବା ଆସିବା ବନ୍ଦ ହୁଏ ।

୨.

ଏପରି ହେଲେ ମସୁର, କୋଳଥ ସିଝାଇ ସେ ପାଣିରେ ଖଣ୍ଡେ କନାବୁଡ଼ାଇ ସେକ ଦେବ ଏବଂ ତହିଁରୁ ଏକ ଛଟାଙ୍କ ପିଆଇ ଦେବ ।

୩.

ବେଗୁନିଆ ପତ୍ର, ଅରଖ ପତ୍ର, ଦୁଦୁରାପତ୍ର, ଡଙ୍କାରୀ ପତ୍ର, ପ୍ରଶାରୁଣୀ ପତ୍ର ଏକତ୍ର ସିଝାଇ ତହିଁରେ କିଛି ପିପଳୀ ଗୁଣ୍ଡ ମିଶାଇବ, ତହିଁରୁ ଏକ ଛଟାଙ୍କ ପିଆଇବ ଏବଂ ତହିଁରେ କନା ବୁଡ଼ାଇ ସେକ ଦେବ ।

☆☆☆

 

ହିରାଡ଼ିଆ ରୋଗ

 

୧.

ଲାଙ୍ଗୁଡ଼ ଅଗ୍ର ଭାଗରେ ଘା’ହୁଏ, ବାଳ ଉପୁଡ଼ି ଯାଏ, ବାଳ ଉପରକୁ ବଢ଼ିଉଠେ; ଏପରି ହେଲେ ଚାରିଦିନରୁ ବଟା ହୋଇଥିବା ଶୋରିଷ ଘାରେ ଲେପିବ ।

୨.

ଭାଲିଆ ମିଶା ଶୋରିଷ ତେଲ ଗୋଟାଏ ପାତ୍ରରେ ରଖି ଗରମ କରିବ, ତେଲ ଉତୁରି ଆସିଲାରୁ ସେ ଲାଙ୍ଗୁଡ଼କୁ ତହିଁରେ ବୁଡ଼ାଇ ଦେବ ।

୩.

କର୍ପୂର, ଶୋରିଷ, ମଦ, ନୀଳ ଗଛର ପତ୍ର ବା ନୀଳ ବଡ଼ି ବାଟି ଲେପଦେବ ।

୪.

ଲାଞ୍ଜରେ ବିରାଡ଼ି ମଳ ବୋଳିଦେବ, ଆଇଁସ କଟା ପନିକିରେ ଘିଅହାତ ଘସି ଦେଇ ପନିକିକୁ ତତାଇ ତହିଁରେ ଲାଞ୍ଜକୁ ସାତଥର ଲାଛିଦେବ ।

☆☆☆

 

ବେଙ୍ଗା

 

୧.

ଗୋରୁର ଘଣ୍ଟିକା ପାଖରେ ମାଂସ ଟବୁକା ହୋଇ ବାହାରି ପଡ଼ିଲେ ସୁନାରୀଫଳ ପୋଡ଼ି ଫୁଲା ଉପରେ ଦାଗିବ ।

୨.

ପୁରୁଣା ବାଉଁଶ ପୋଡ଼ିଗଲାରୁ ତାକୁ ନିଭାଇ ତଦ୍ୱାରା ଦାଗିବ ।

୩.

ଗୋରୁର ଜିଭମୂଳ ଫୁଲିଥିଲେ, ଦେହ ତାତିଥିଲେ ଏବଂ ଛେରି ହେଉଥିଲେ କଣ୍ଠରେ ଦାଗିବ ଏବଂ ଲଙ୍କାମରିଚ, ଶୋରିଷ, ଓଲୁଅ, ବେଗୁନିଆଁପତ୍ର, ଡଙ୍କାରିପତ୍ର, ଅଳନ୍ଧୁ, ଭାଲିଆ, ଲୁଣ ଆଣି କୁଟିବ, ଗୋରୁକୁ ମାଡ଼ିବସି ତହିଁରୁ ମେଞ୍ଚାଏ ଲେଖାଏଁ ଖୁଆଇବ । ଲୁଣ, ପବୈରି ବାଟି ଖୁଆଇବ ।

୪.

ଭାଲିଆ ଓ ଗୁଆଘିଅ ଏକତ୍ର ରାନ୍ଧି ପରେ ଭାଲିଆକୁ ବାହାର କରି ନେଇ ସେହି ଘିଅରେ ଲିଆ (ଖଇ) ବୁଡ଼ାଇ ଖୁଆଇବ ।

୫.

ଅଦା, ଗୁଆଘିଅ ରାନ୍ଧି ଖୁଆଇବ ।

୬.

ହରିଡ଼ା ଗୁଆଘିଅ ରାନ୍ଧି ଖୁଆଇବ ।

୭.

ନୀଳକଣ୍ଠ ଓ ଦହି ଏକତ୍ରରେ ଖୁଆଇବ ।

୮.

ଡୁମାଡୁମା ଲିଆ ଓ ଦହି ଖୁଆଇଲେ ଭଲହେବ ।

☆☆☆

 

ଭେଦି (କୋଷ୍ଠବଦ୍ଧ ହେଲେ)

 

୧.

ଜୟପାଳ ମଞ୍ଜି ୧୦ ରତି, ଲୁଣ ୧୫ ତୋଳା ଏକତ୍ରକରି ଅଧସେର ଗରମ ଯାଉରେ ମିଶାଇ ଖୁଆଇବ ।

୨.

ଗନ୍ଧକ ଚୂର୍ଣ୍ଣ ୫ ତୋଳା, ମସିନା ତେଲ ୧୦ ତୋଳା ଅଧସେର ଗରମଯାଉ ସହିତ ଖୁଆଇବ ।

୩.

ମସିନା ତେଲ ଦେଢ଼ପା, ଗନ୍ଧକ ଗୁଣ୍ଡି ୧୦ ତୋଳା, ଶୁଣ୍ଠି ଗୁଣ୍ଡି ୧ ତୋଳା ୨୦ ରତି, ଅଧସେର ଗରମଯାଉ ସହିତ ଖୁଆଇବ ।

୪.

ଲୁଣ ଦେଢ଼ପା, ମୁସଭର ୨୦ ରତି, ଗନ୍ଧକ ଗୁଣ୍ଡି ୫ ତୋଳା ଶୁଣ୍ଠିଗୁଣ୍ଡି ୨.୫ ତୋଳା, ଗୁଡ଼ ୧୦ ତୋଳା ସେରେ ଗରମପାଣି ସହିତ ଖୁଆଇବ ।

୫.

ଲୁଣ ୧୦ ତୋଳା, ଗନ୍ଧକଚୂର୍ଣ୍ଣ ୭.୫ ତୋଳା ୨ ସେର ଗରମ ପାଣିରେ ପକାଇ ଶୀତଳ ହେଲାରୁ ଖୁଆଇବ ।

୬.

ଅଳନ୍ଧୁ, ଲୁଣ ଏକତ୍ର କରି ଖୁଆଇବ ।

☆☆☆

 

ରକ୍ତ ମୂତ୍ର

 

୧.

ଏ ରୋଗ ବଡ଼ ମାରାତ୍ମକ । ଗୋରୁ ଦେହ ବଡ଼ ଦୁର୍ବଳ ହୁଏ, ଚର୍ମ୍ମ ଶୁଷ୍କ ହୋଇଯାଏ ଏବଂ ହଳଦିଆ ଦିଶେ, ପେଟ ପୀଡ଼ା ହୋଇ ଝାଡ଼ା ବନ୍ଦହୁଏ, ପରିସ୍ରା ଅଳ୍ପ ରଙ୍ଗବର୍ଣ୍ଣ ହୁଏ, ପେଟ ଫୁଲାଇ, ପରିସ୍ରା ହେବାବେଳେ କଷ୍ଟହୁଏ, ଏପରି ହେଲେ ଦେଢ଼ପା ଲୁଣ ୫ତୋଳା ଗନ୍ଧକଚୂର୍ଣ୍ଣ, ୨.୫ ତୋଳା ଶୁଣ୍ଠିଗୁଣ୍ଡ, ୧୦ ତୋଳା ଗୁଡ଼ ଏକସେର ଗରମପାଣି ସହିତରେ ଖୁଆଇବ । ୧୨ ଘଣ୍ଟାମଧ୍ୟରେ ଭଲରୂପେ ଝାଡ଼ା ନହେଲେ ଉପରୋକ୍ତ ଔଷଧ ଭାଗର ଅର୍ଦ୍ଧାଂଶ, ଖୁଆଇବ । ଭଲରୂପେ ଝାଡ଼ା ହେଲାରୁ ଶୁଣ୍ଠି, ଚିରେଇତା, ଗୋଲମରିଚ ଏସବୁ ୧ ତୋଳା, ୨୦ ରତି ଲେଖାଏଁ ଆଣି ଏକ ଛଟାଙ୍କ ଲୁଣ ସଙ୍ଗେ ମିଶାଇ ଗୁଣ୍ଡ କରିବ ଅଳ୍ପ ଗରମଥିବା ଯାଉରେ ଉକ୍ତ ଗୁଣ୍ଡ ଓ କିଛି ଗୁଡ଼ ମିଶାଇ ଖୁଆଇବ-

୨.

ଲାଲ୍‌ ବର୍ଣ୍ଣ ପରିସ୍ରା ଦେଖିବା ମାତ୍ରେ ପଞ୍ଜୁପତ୍ରୀ ସିଝା ପାଣି ଅଳ୍ପଗରମ ଥାଉଁ ଥାଉଁ ପିଆଇବ ।

☆☆☆

 

ଲାଳ ରକ୍ତ ଝାଡ଼ା

 

୧.

ଗରମ କପଡ଼ା ଗରମ ପାଣିରେ ବୁଡ଼ାଇ ଦଣ୍ଡେ କାଳ ଯାଏ ଗୋରୁ ପେଟରେ ସେକ ଦେବ, ଅଥବା ଗରମ ଲୁହାରେ ପେଟ ଦାଗିଦେବ । ସେକ, ଦିଆହେବା ସ୍ଥାନରେ ଥଣ୍ଡା ଲଗାଇବ ନାହିଁ ସେ ସ୍ଥାନକୁ ଶୁଖିଲା ଲୁଗାରେ ପୋଛି ଯେତେ ଶୋରିଷ ତେଲ ତହିଁର ଅଧେ ତାର୍ପିନ ତେଲ ଏକତ୍ରକରି ମାଲିଶ କରିବ ।

୨.

କୁନ୍ଥ, ପ୍ରବଳ ଥିଲେ ଅଣ୍ଟା ଚାରିପାଖେ ଖଣ୍ଡେ କୋର ବା ଦଉଡ଼ି ଭଲ ରୂପେ ବାନ୍ଧିଦେବ, ଝାଡ଼ା ବନ୍ଦ କରାଇବା ନିମନ୍ତେ ସମୟେ ସମୟେ ଚାଉଳର ବହଳ ଯାଉ ୧ ସେରରେ ଆପୁ ସାଢ଼େ ସାତମଶା ମିଶାଇ ମଳଦ୍ୱାରରେ ପିଚକାରୀ ଦେବ । କିମ୍ବା ଦୋଅଣୀ ଓଜନର ସଫେଦା ଅଢ଼େଇ ତୋଳା ଦୁଧଖଡ଼ିଗୁଣ୍ଡ, ୭ ମଶା ଅଫିମ, ଚାଉଳର ବହଳ ଯାଉରେ ମିଶାଇ ଖୁଆଇବ ।

☆☆☆

 

ସଇଁଆଁ

 

୧.

ଗୋରୁର ନାକରୁ ପାଣି ବାହାରେ, ସର୍ବଦା ଘଡ଼ ଘଡ଼ କରେ ଏପରି ହେଲେ ମରିଚ ଗୁଣ୍ଡା ନାକରେ ଭର୍ତ୍ତିକରି ଅଳ୍ପମାତ୍ର ଗରମ ଥିବା ଗୁଆଘିଅ ଏକପଳା ପ୍ରମାଣରେ ଢାଳି ଗବ ନଳାରେ ମୁହଁ ଦେଇ ଫୁଙ୍କିବ ଯେପରି ତାହା ଗୋରୁର ତାଳୁ ଭିତରକୁ ଯାଇ ପାରିବ ।

୨.

ଅଦାରସ, ମରିଚଗୁଣ୍ଡ; ଗୁଆଘିଅ ଏକତ୍ର ଅଳ୍ପ ଗରମକରି ନାକରେ ଭର୍ତ୍ତି କରି ଦେବ ଏବଂ ଶିଙ୍ଗ ମୂଳରେ କିଛି ଢାଳିଦେଇ ମାଲିଶ କରିବ ।

☆☆☆

 

ଶିଙ୍ଗଭଙ୍ଗା

 

୧.

ଗୋରୁଙ୍କ ଶିଙ୍ଗ ଭାଙ୍ଗିଗଲେ ଅଡ଼ୁଆ ବାଳ ଓ ବଟା ବ୍ରୀହି ଖଣ୍ଡେ କନାରେ ଦେଇ ବାନ୍ଧିବ ।

୨.

ଶିଙ୍ଗରେ ପୋକହେଲେ ବାଡ଼ି ଅଁଳାପତ୍ର ସେଠାରେ ୭ ଥର ଘଷିବ ।

୩.

ପୋକହେଲେ ଗେଙ୍ଗୁଟି ଚୂନ ଓ ଗୁଡ଼ ଲେପିବ ।

୪.

ମୋଟା ଲୁଗାରେ ଆଲକାତରା ବୋଳି ଶିଙ୍ଘରେ ବାନ୍ଧିଲେ ଭଙ୍ଗାଶିଙ୍ଗ ଭଲହେବ ।

୫.

ପାତାଳ ଗରୁଡ଼ ଚେରି ପୋକ ହୋଇଥିବା ସ୍ଥାନରେ ଭର୍ତ୍ତିକରି ଦେବ ।

☆☆☆

 

କାଶଶ୍ୱାସ

 

୧.

ରସସିନ୍ଦୂର ଓ ଘିଅ ଏକତ୍ର ମିଶାଇ ଖୁଆଇବେ ଅତିଶୀଘ୍ର କାଶଶ୍ୱାସ ରୋଗ ଭଲହେବ ।

Image